ଗଙ୍ଗଶିଉଳି ଏକ ସୁପରିଚିତ ଗଛ । ଓଡ଼ିଆରେ ଏହାକୁ ଶୃଙ୍ଗାର ହାର ବା ଶେଫାଳୀ କୁହାଯାଉ ଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ ଆଦି କୁହାଯାଏ ।

ଗୁଣକର୍ମ

ଗଙ୍ଗ ଶିଉଳିର ପତ୍ରଗୁଡିକ ଖୁବ୍‌ ପିତା। ଏଥିରେ ଏକପ୍ରକାର ଦୈବିକ ରସ ବା ଆଲାକାଲଏଡ଼ ରହିଛି । ଏହାର ଫୁଲର ପାଖୁଡ଼ା ଗୁଡିକ ଧଳା ନାଲି ମିଶା ହଳଦିଆ। ଔଷଧରେ ଏହାର କେବଳ ପତ୍ର ଓ ଫୁଲ ନୁହେଁ, ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୋଇଥାଏ। ଏହାର ପଞ୍ଚାଙ୍ଗ ଶରତ ରତୁରେ ଶେଷଭାଗରେ ସଂଗ୍ରହ କରାଯାଏ। ଏହାର ପଞ୍ଚାଙ୍ଗକୁ ଛାଇରେ ଶୁଖାଇ ବନ୍ଦ ପାତ୍ରରେ ସାଇତି ରଖୁଲେ ୪/୫ ମାସ ଯାଏ ବ୍ୟବହୃତ ହୋଇଥାଏ ଏହାର ରସ କିମ୍ବା ଚୁର୍ଣ୍ଣକୁ ଯେକୌଣସି ମିଠା ଯୁକ୍ତ ଜିନିଷ ସହ ମାତ୍ରା ଅନୁସାରେ ଗ୍ରହଣ କରାଯାଏ।

ମୁଣ୍ଡବିନ୍ଧା

ଯେ କୌଣସି ମୁଣ୍ଡବିନ୍ଧା ପାଇଁ ଗଙ୍ଗଶିଉଳିର ୫/ ୬ଟି ଫୁଲ ଆଣି ହାତରେ ମକଚି ଶୁଙ୍ଘିଲେ ତତ୍‌କ୍ଷଣାତ୍‌ ଉପଶମ ମିଳେ ।

ମେଲେରିଆ ଜ୍ଵର

ସାତଟି ଗଙ୍ଗଶିଉଳି ପତ୍ରକୁ ୭ଟି ଗୋଲ ମରିଚ ସହ ବାଟି ମିଶ୍ରି ସର୍ବତ ସହିତ ସକାଳେ ଖାଲିପେଟରେ ଏବଂ ସଂଧ୍ୟାରେ ଖାଦ୍ୟ ପରେ ସେବନ କଲେ ୭ ଦିନ ମଧ୍ଯରେ ମେଲେରିଆ ଜର ଭଲ ହୋଇଥାଏ ।

ଟାଇଫଏଡ୍‌ ଏବଂ ଅନ୍ୟାନ୍ୟ ସମସ୍ତ ଜ୍ଵର ପାଇଁ ୭ଟି ଗଙ୍ଗଶିଉଳି ପତ୍ର ରସ ୧ ଚାମଚ ମହୁ ଏବଂ ୧ଟା ଗୋଲମରିଚକୁ ଏକତ୍ର ମିଶାଇ ସୂର୍ଯ୍ୟାସ୍ତ ପରେ ନାକର ଦକ୍ଷିଣ ପାର୍ଶ୍ଵରେ ନିଶ୍ଵାସ ଚାଲିଥିବାବେଳେ ୭ଦିନ ଧରି ସେବନ କଲେ ବାତ, ପିତ୍ତ, କଫ ଆଦିରୁ ମୁକ୍ତି ମିଳିଥାଏ । ଗଙ୍ଗ ଶିଉଳି ଗଛର ଚେର ବା ଛାଲି ୨୦ଗ୍ରାମ୍‌କୂ ୫୦୦ଗ୍ରାମ୍‌ ପାଣିରେ ସିଝାଇବେ। ଅବଶିଷ୍ଠ ୨୫୦ ଗ୍ରାମ୍‌ ପାଣିରେ ୧ ଚାମଚ ମହୁ ମିଶାଇ ସକାଳେ ସଂଧ୍ୟାରେ ସେବନ କଲେ ସମସ୍ତ ପ୍ରକାର ପିତ୍ତଜ୍ୱର, କମ୍ପଜ୍ୱର ଏବଂ ଜ୍ୱର କାରଣରୁ ବାନ୍ତି ହେଉଥିଲେ ଭଲ ହୋଇଯାଏ ।

ଅଧାକପାଳି ଏବଂ ଉହାଜ୍ୱର

ଗଙ୍ଗଶିଉଳି ପତ୍ରର ରସକୁ ୨/୩ ଠୋପା ନାକରେ ପକାଇଲେ ଅଧା କପାଳୀ ଏବଂ ଉହା ଜ୍ୱର ଭଲ ହୋଇଯାଏ।

ଟନ୍‌ସିଲ ବା ଗଳା ରୋଗ

ଗଙ୍ଗଶିଉଳି ଚେରକୁ ଧୋଇ ସଫାକରି ଧିରେ ଧିରେ ଚୋବାଇ ରସ ଢ଼ୋକିଲେ ଖୁବ୍‌ କମ୍‌ ସମୟରେ ଟନ୍‌ସିଲ୍‌ ବା ଗଳା ଦରଜ କମିଯିବ |

କାନ ରୋଗ

ଗଙ୍ଗଶିଉଳି ପତ୍ରରସ ୧୦୦ ମି.ଲି. ସହିତ ୨୫୦ ଗ୍ରାମ୍‌ ଖାଣ୍ଟି ସୋରିଷ ତେଲ ପାକ କରି ଅବଶିଷ୍ଟ ୨୫ ଗ୍ରାମ୍‌ ତେଲ ସାଇତି ରଖିବେ । କାନରୁ ପୂଜ ବାହାରୁଥିଲେ, କାନ ବିନ୍ଧା ପାଇଁ, କାନ ଦୁର୍ଗନ୍ଧ ହେଉଥିଲେ ଏହି ତେଲରୁ ୨ ଠୋପା ଲେଖାଏଁ ଦିନକୁ ୨ଥର ପକାଇବେ |

କୃମି ନାଶକ

ପେଟ ସଫାକରି ଗଙ୍ଗଶିଉଳି ପତ୍ର ରସ ପାଞ୍ଚ ଚାମଚରେ ମହୁ ଅଧ ଚାମଚ ମିଶାଇ ପ୍ରତ୍ୟହ ଖାଲିପେଟରେ ୫ ଦିନ ସେବନ କଲେ ପେଟର ସମସ୍ତ ପ୍ରକାର କୃମି ନଷ୍ଟ ହୋଇଥାନ୍ତି ।

ଘା

ଗଙ୍ଗଶିଉଳି ପତ୍ରକୁ ଶୁଖାଇ ଚୁର୍ଣ୍ଣକରି ଯେ କୌଣସି ପୁରୁଣା ଘା’ରେ ମରା ନଡିଆ ତେଲ ସହ ଲଗାଇଲେ ଘା’ ଭଲ ହୋଇଯାଏ।

ଅଣ୍ଟା ଓ ଆଣ୍ଠୁ ବିନ୍ଧା

୧୧ଟି ଗୋଲମରିଚ ସହ ଗଙ୍ଗଶିଉଳି ପତ୍ରରସ ୨ ୦ ମି.ଲି. ସକାଳେ ଖାଲିପେଟରେ ସେବନ କରିବେ।

ଆମବାତ

ଗଙ୍ଗଶିଉଳି ପତ୍ର ରସ ସହିତ ଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନକୁ ୩ପାନ କିଛି ସମୟ ସେବନ କଲେ ଆମବାତରୁ ରକ୍ଷା ପାଇ ପାରିବେ |

ଏସିଡିଟି ବା ଅମ୍ଳପିତ୍ତ

ଙ୍ଗଶିଉଳି ପତ୍ରରସ ୧୦ ମି.ଲି ସହ ଅଧାଚାମଚ ମିଶ୍ରୀଗୁଣ୍ଡ ମିଶାଇ ୧୧ଦିନ ସେବନ କଲେ ଅମ୍ଳପିତ୍ତ ରୋଗ ଭଲ ହୋଇଯାଏ ।

ଅଜୀର୍ଣ୍ଣ

ଗଙ୍ଗଶିଉଳି ପତ୍ରରସ ୧ ଗ୍ରାମ୍‌ ସହ ୧ ଗ୍ରାମ୍‌ ସନ୍ଧୈବ ଲବଣ ମିଶାଇ ୭ଦିନ ସକାଳୁ ଖାଲି ପେଟରେ ସେବନ କରିବେ । ଏହି ଅନୁପାନ ପ୍ରାରମ୍ବିକ ଅର୍ଶ ରୋଗୀ ମଧ୍ଯ ନେଇ ପାରିବେ ।

ଗଙ୍ଗ ଶିଉଳି ଅତ୍ୟନ୍ତ ଉପକାରୀ ଗଛଟିଏ, ଏହି ଗଛ ଯାହାର ବାଡ଼ି ବଗିଚାରେ ଥାଏ ସେମାନଙ୍କୁ ଛୋଟ ଛୋଟ ରୋଗ ପାଇଁ ଡାକ୍ତରଖାନାକୁ ଯିବାକୁ ପଡ଼ି ନଥାଏ । ବାସ୍ତବରେ ଗଙ୍ଗଶିଉଳି ମାନବସମାଜ ପାଇଁ ଭଗବାନଙ୍କର ଏକ ଅନନ୍ୟ ସୃଷ୍ଟି ।

https://www.youtube.com/shorts/hLiPKAGxH_M